Añadir traducción en paralelo Imprimir Opciones de la página

ଦାଉଦ ଅନେକ ଯୁଦ୍ଧରେ ବିଜୟ ହେଲେ

ଏହା ପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସେମାନଙ୍କଠାରୁ ତାଙ୍କ ରାଜଧାନୀର କର୍ତ୍ତୃତ୍ୱ ନେଲେ। ଦାଉଦ ମଧ୍ୟ ମୋୟାବକୁ ପରାସ୍ତ କଲେ। ସେ ସେମାନଙ୍କୁ ଭୂମିରେ ପଡ଼ି ରହିବା ପାଇଁ ବାଧ୍ୟ କଲେ, ସେ ସେମାନଙ୍କୁ ଏକ ଦଉଡ଼ି ଦ୍ୱାରା ଦୁଇ ଦଳରେ ବିଭକ୍ତ କଲେ। ଦୁଇ ଧାଡ଼ିର ପୁରୁଷ ଲୋକମାନଙ୍କୁ ହତ୍ୟା କରାଗଲା, କିନ୍ତୁ ତୃତୀୟ ଧାଡ଼ିଟିକୁ ଜୀବନ୍ତ ଛାଡ଼ି ଦିଆଗଲା। ତା’ପରେ ମୋୟାବୀୟମାନେ ଦାଉଦଙ୍କର ସେବକ ହେଲେ ଓ ତାକୁ କର ଦେଲେ।

ସୋବାରର ରାଜା ରହୋବର ପୁତ୍ର, ହଦଦେଷର ଫରାତ୍ ନଦୀ ନିକଟରେ ନିଜର ରାଜ୍ୟ ପୁନର୍ବାର ହସ୍ତଗତ କରିବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ। ଦାଉଦ ତା’ଠାରୁ 1700 ଅଶ୍ୱାରୋହୀ ଏବଂ 20,000 ପଦାତିକ ସୈନ୍ୟ ନେଲେ। ଦାଉଦ 100ଟି ଅଶ୍ୱ ରଖିଲେ କିନ୍ତୁ ସେ ଅନ୍ୟ ଅଶ୍ୱଗୁଡ଼ିକୁ ପଙ୍ଗୁ କରିଦେଲେ।

ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାଙ୍କୁ ସାହାଯ୍ୟ କରିବାକୁ ଆସିଲେ। କିନ୍ତୁ ଦାଉଦ ସେହି 22,000 ଅରାମୀୟମାନଙ୍କୁ ପରାସ୍ତ କଲେ। ତା’ପରେ ଦାଉଦ ଦମ୍ମେଶକର ଅରାମ ସୀମାରେ ସୈନ୍ୟଦଳମାନଙ୍କୁ ମୁତୟନ କଲେ। ଏବଂ ଅରାମୀୟମାନେ ଦାଉଦଙ୍କର ସେବକ ହୋଇଗଲେ। ସେମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଏହିଭଳି ଭାବରେ ଦାଉଦ ଯେଉଁ ଆଡ଼କୁ ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ।

ଦାଉଦ ହଦଦେଷର ଅଧିକାରୀମାନଙ୍କ ପାଖରେ ଥିବା ସୁବର୍ଣ୍ଣ ଢାଲଗୁଡ଼ିକ ଛଡ଼ାଇ ଆଣିଲେ। ଦାଉଦ ସେହି ସୁବର୍ଣ୍ଣ ଢାଲଗୁଡ଼ିକ ଯିରୁଶାଲମକୁ ନେଇ ଆସିଲେ। ଦାଉଦ ମଧ୍ୟ ହଦଦେଷର ସହର ବେଟହ ଓ ବେରୋଥାରୁ ବହୁତ ଦ୍ରବ୍ୟ ଓ ଅପାର ପିତ୍ତଳ ନେଇ ଆସିଲେ।

ହମାତର ରାଜା ତୋହି ଶୁଣିବାକୁ ପାଇଲେ ଯେ ଦାଉଦ ହଦଦେଷର ସମସ୍ତ ସୈନ୍ୟମାନଙ୍କୁ ପରାସ୍ତ କରିଛନ୍ତି। 10 ତେଣୁ ତୋହି ତାଙ୍କର ପୁତ୍ର ଯୋରାମକୁ ରାଜା ଦାଉଦଙ୍କୁ ଅଭ୍ୟର୍ଥନା କରିବା ପାଇଁ ଓ ଯୁଦ୍ଧରେ ହଦଦେଷର ବିରୁଦ୍ଧରେ ଜୟଲାଭ କରିଥିବାରୁ ଶୁଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରୁ ହଦଦେଷର ତୋହି ସହିତ ଯୁଦ୍ଧରେ ରତ ଥିଲେ। ଯୋରାମ ନିଜ ସଙ୍ଗରେ ସୁନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ୟ ଆଣିଥିଲେ। 11 ଦାଉଦ ସେସବୁ ଦ୍ରବ୍ୟକୁ ଗ୍ରହଣ କଲେ ଓ ସଦାପ୍ରଭୁଙ୍କୁ ସେଗୁଡ଼ିକୁ ଅର୍ପଣ କଲେ। ସେ ସେଗୁଡ଼ିକୁ ଅନ୍ୟ ସୁନା, ରୂପାର ଦ୍ରବ୍ୟ ପାଖରେ ରହିଲେ, ଯାହା ସେ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ସେଗୁଡ଼ିକୁ ଯେଉଁ ଦେଶକୁ ପରାସ୍ତ କରୁଥିଲେ, ସେହି ଦେଶରୁ ଦ୍ରବ୍ୟମାନ ଆଣୁଥିଲେ। 12 ଦାଉଦ ଅରାମ, ମୋୟାବ, ଅମ୍ମୋନ, ପଲେଷ୍ଟୀୟ, ଅମାଲେକୀୟ ଏବଂ ସେ ମଧ୍ୟ ସୋବାର ରାଜା ରେହବର ପୁତ୍ର ହଦଦେଷରକୁ ପରାସ୍ତ କରିଥିଲେ। 13 ଦାଉଦ ଲବଣ ନାମକ ଉପତ୍ୟକାରେ ଅରାମୀୟମାନଙ୍କର 18,000 ସୈନ୍ୟଙ୍କୁ ବଧ କରିଥିଲେ ଓ ସେ ଯେତେବେଳେ ଘରକୁ ଫେରିଲେ ସେତେବେଳେ ବହୁତ ଖ୍ୟାତି ଅର୍ଜ୍ଜନ କରିଥିଲେ। 14 ଦାଉଦ ଦୁର୍ଗ ରକ୍ଷକ ସେନାଙ୍କୁ ଇଦୋମରେ ମୁତୟନ କଲେ। ସେ ଇଦୋମ ସାରା ବହୁତ ଦୁର୍ଗ ରକ୍ଷକ ସେନାଙ୍କୁ ମୁତୟନ କଲେ। ସମସ୍ତ ଇଦୋମୀୟଗଣ ଦାଉଦଙ୍କର ଦାସ ହେଲେ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ।

ଦାଉଦଙ୍କର ଶାସନ

15 ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। ଦାଉଦ ମଧ୍ୟ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସୁବିଗ୍ଭର କଲେ। 16 ସରୁୟାର ପୁତ୍ର ଯୋୟାବ ସୈନ୍ୟମାନଙ୍କ ଉପରେ ପ୍ରଧାନ ଥିଲା, ଅହୀଟୂବର ପୁତ୍ର ଯିହୋଶାଫଟ୍ ମଧ୍ୟ ଇତିହାସ ଲେଖକ ଥିଲେ। 17 ଅହୀଟୂବର ପୁତ୍ର ସାଦୋକ୍ ଓ ଅବିୟାଥରର ପୁତ୍ର ଅହୀମେଲକ ଯାଜକ ଥିଲେ। ସରାୟ ଲେଖକ ଥିଲେ। 18 ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଦାୟିତ୍ୱରେ ଥିଲେ। ଏବଂ ଦାଉଦଙ୍କର ପୁତ୍ରମାନେ ମହତ୍ତ୍ୱପୂର୍ଣ୍ଣ ନେତୃବର୍ଗ [a] ଥିଲେ।

Notas al pie

  1. ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 8:18 ମହତ୍ତ୍ୱପୂର୍ଣ୍ଣ ନେତୃବର୍ଗ ଆକ୍ଷରିକ ଭାବରେ ଯାଜକଗଣ।