Add parallel Print Page Options

ଦୋଷାର୍ଥକ ବଳି

“ଏହିସବୁ ଦୋଷାର୍ଥକ ବଳିର ବିଧି ଅଟେ। ତାହା ମହାପବିତ୍ର। ଯେଉଁ ସ୍ଥାନରେ ଯାଜକ ହୋମବଳି ବଧ କରନ୍ତି, ସେହି ସ୍ଥାନରେ ସେମାନେ ଦୋଷାର୍ଥକ ବଳି ବଧ କରିବେ। ତା’ପରେ ଯାଜକ ସେହି ବଳିର ରକ୍ତ ନେଇ ଯଜ୍ଞବେଦି ଗ୍ଭରିପାଖରେ ଛିଞ୍ଚିବ।

“ଆଉ ସେ ଯାଜକ ତାହାର ସମସ୍ତ ମେଦ ଅର୍ଥାତ୍ ଲାଙ୍ଗୁଳର ମେଦ ଓ ଅନ୍ତ୍ରାଚ୍ଛାଦକ ମେଦ ଦୋଷାର୍ଥକ ବଳିରୂପେ ଉତ୍ସର୍ଗ କରିବ। ଆଉ ସେ ଯାଜକ ଦୁଇ ଗୁରୁଦା ଓ ମେଦ ଉପରିସ୍ଥିତ ଓ ପାର୍ଶ୍ୱସ୍ଥ ମେଦର ପଛ ମାଂସପେଶୀର ନିମ୍ନଭାଗ ଓ ମେଦର ଆଚ୍ଛାଦିତ ଯକୃତ ନେଇ ଉତ୍ସର୍ଗ କରିବା ଉଚିତ୍। ସେ ଏହା ଗୁରୁଦା ସହିତ ନିଶ୍ଚୟ ବାହାର କରିବ। ପୁଣି ଯାଜକ ସଦାପ୍ରଭୁଙ୍କୁ ଉପହାର ସ୍ୱରୂପ ଏହିସବୁ ନେଇ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ, ଏହା ହେଉଛି ଦୋଷାର୍ଥକ ବଳି।

“ଯାଜକ ପରିବାର ମଧ୍ୟରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରି ପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ। ପାପାର୍ଥକ ବଳି ଯେଉଁପରି, ଦୋଷାର୍ଥକ ବଳି ମଧ୍ୟ ସେହିପରି। ଯେଉଁ ଯାଜକ ସେହି ପ୍ରାୟଶ୍ଚିତ କରେ, ତାହା ତାଙ୍କର ହେବ। ଦୁଇଟିର ବ୍ୟବସ୍ଥା ଏକ। ପୁଣି ଯାଜକ ଯେଉଁ ଲୋକର ହୋମବଳି ଉତ୍ସର୍ଗ କରେ, ତା’ର ସେହି ଉତ୍ସର୍ଗୀକୃତ ହୋମବଳିର ଚର୍ମ ସେହି ଯାଜକ ନିଜେ ନେବ। ପ୍ରତ୍ୟେକ ଶସ୍ୟ ନୈବେଦ୍ୟ ଯାହା ତୁନ୍ଦୁରରେ ବା କରେଇରେ ପକ୍ୱ କରାଯାଏ, ସେସବୁ ଉତ୍ସର୍ଗକାରୀ ଯାଜକର ହେବ। 10 ସମସ୍ତ ଶସ୍ୟ ନୈବେଦ୍ୟ ହାରୋଣଙ୍କ ପୁତ୍ରମାନଙ୍କର। ତାହା ତୈଳମିଶ୍ରିତ ହେଉ ବା ଶୁଷ୍କ ହେଉ, ସେଥିରେ କିଛି ପ୍ରଭେଦ ରହିବ ନାହିଁ। ସେହି ନୈବେଦ୍ୟ ହାରୋଣଙ୍କ ପୁତ୍ରଗଣଙ୍କ ମଧ୍ୟରେ ବଣ୍ଟାଯିବ।

ମଙ୍ଗଳାର୍ଥକ ବଳି

11 “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ନିମ୍ନ ବ୍ୟବସ୍ଥା ଅଟେ। 12 କେହି ଯେବେ ସଦାପ୍ରଭୁଙ୍କୁ ପ୍ରଶଂସା କରିବାକୁ ମଙ୍ଗଳାର୍ଥକ ବଳି ଆଣେ, ତେବେ ସେ ତେଲରେ ଛଣା ହୋଇଥିବା ମଙ୍ଗଳାର୍ଥକ ବଳି ସହିତ ତାଡ଼ିଶୂନ୍ୟ ରୋଟୀ, ତୈଳଯୁକ୍ତ ତାଡ଼ିଶୂନ୍ୟ ଚକୁଳି ଓ ସରୁ ମଇଦାର ତୈଳମିଶ୍ରିତ ପକ୍ୱପିଠା ଉତ୍ସର୍ଗ କରିବ। 13 ମଙ୍ଗଳାର୍ଥକ ବଳିର ଅର୍ଥ ଜଣେ ବ୍ୟକ୍ତି ସଦାପ୍ରଭୁଙ୍କୁ ଧନ୍ୟବାଦ ପ୍ରକାଶ କରିବା ଓ ପ୍ରଶଂସାର ସହିତ ଅର୍ପଣ କରୁଥିବା ବଳି। ଏହି ଉପହାର ସହିତ ସେ ତାଡ଼ିଯୁକ୍ତ ପିଠା ମଧ୍ୟ ଆଣିବା ଉଚିତ୍। 14 ସେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରୁଥିବା ଉପହାରରୁ ଗୋଟିଏ ପିଠା ନେବ। ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ସିଞ୍ଚନ କରେ ପିଠାଟି ତାହାର ହେବ। 15 ମଙ୍ଗଳାର୍ଥକ ବଳି ପ୍ରଭୁଙ୍କ ଧନ୍ୟବାଦର ବଳି ରୂପେ ଉତ୍ସର୍ଗ କରାଯାଏ। ସେହି ବଳିର ମାଂସ ସେହି ଉତ୍ସର୍ଗ ଦିନରେ ଭୋଜନ କରାଯିବ। ତହିଁରୁ କୌଣସି ମାଂସ ପରଦିନ ପ୍ରାତଃକାଳ ପର୍ଯ୍ୟନ୍ତ ରହିବ ନାହିଁ।

16 “ମାତ୍ର ଯଦି ସେହି ମଙ୍ଗଳାର୍ଥକ ବଳି ପ୍ରତିଜ୍ଞା ବା ସ୍ୱେଚ୍ଛାଦତ୍ତ ଉପହାର ହୁଏ। ତେବେ ସେ ତାହାର ସେହି ବଳି ଉତ୍ସର୍ଗ କରିବା ଦିନ ହିଁ ତାହା ଭୋଜନ କରିବ। ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ ତାହା ପରଦିନ ପ୍ରାତଃକାଳରେ ଭୋଜନ କରିବ। 17 ମାତ୍ର ଯେବେ କୌଣସି ବଳି ମାଂସ ପୁଣି ରହିଯାଏ, ତେବେ ତାହା ତୃତୀୟ ଦିନରେ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରିବ। 18 ଯଦି ତୃତୀୟ ଦିନରେ ସେହି ମଙ୍ଗଳାର୍ଥକ ବଳିରୁ କିଛି ମାତ୍ର ଭୋଜନ କରାଯାଏ, ତେବେ ତାହା ଗ୍ରାହ୍ୟ ହେବ ନାହିଁ କିମ୍ବା ତାହା ବଳିଦାନକାରୀ ପକ୍ଷରେ ଗଣାଯିବ ନାହିଁ। ତାହା ଘୃଣାଯୋଗ୍ୟ ହେବ, ଆଉ ଯେଉଁ ବ୍ୟକ୍ତି ତାହା ଭୋଜନ କରିବ ସେ ନିଜର ଅପରାଧ ବହନ କରିବ।

19 “ଆଉ ଯଦି ତାହା କୌଣସି ଅଶୁଚି ବସ୍ତୁ ସଂସ୍ପର୍ଶରେ ଆସିଥାଏ, ତେବେ ତାହା ଭୋଜନ କରାଯିବା ଉଚିତ୍ ନୁହେଁ। ତାହା ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରାଯିବା ଉଚିତ୍। ଯେକୌଣସି ଶୁଚିମନ୍ତ ଲୋକ ସେହି ମଙ୍ଗଳାର୍ଥକ ବଳିରୁ ମାଂସ ଭୋଜନ କରି ପାରିବ। 20 ମାତ୍ର ଯଦି କୌଣସି ଅଶୁଚି ବ୍ୟକ୍ତି ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ବଳି ଭୋଜନ କରେ ତେବେ ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।

21 “ଯଦି କୌଣସି ବ୍ୟକ୍ତି ଅଶୁଚି ବସ୍ତୁ କିମ୍ବା ଅଶୁଚି ପ୍ରାଣୀ କିମ୍ବା କୌଣସି ଘୃଣାଯୋଗ୍ୟ ଅଶୁଚି ବସ୍ତୁ ସ୍ପର୍ଶ କରେ ତେବେ ସେ ଅପବିତ୍ର ହୁଏ ଓ ଯଦି ସେ ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ ତେବେ ସେହି ବ୍ୟକ୍ତି ଆପଣା ଲୋକମାନଙ୍କଠାରୁ ପୃଥକ ରହିବ।”

22 ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, 23 “ଇସ୍ରାଏଲର ଲୋକମାନଙ୍କୁ କୁହ, ଗାଈ କି ମେଷ କି ଛାଗର ମେଦ ଭୋଜନ ନ କରିବା ପାଇଁ। 24 ସେମାନଙ୍କୁ ମଧ୍ୟ କୁହ ଯେ, ସେମାନେ ଗୋଟିଏ ପଶୁର ସ୍ୱାଭାବିକ ମୃତ୍ୟୁ ହେଉ କିମ୍ବା ଯାହାର ଅନ୍ୟ ପଶୁ ଦ୍ୱାରା ବିଦୀର୍ଣ୍ଣ ହୋଇ ମୃତ୍ୟୁ ହୋଇଥିଲା ତାହା ଖାଇବା ଉଚିତ୍ ନୁହଁ। ସେହି ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ, ମାତ୍ର ସେମାନେ ତାହା ଭୋଜନ କରିବା ଉଚିତ୍ ନୁହେଁ। 25 ଯଦି କୌଣସି ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପଶୁର ମେଦ ଭକ୍ଷ୍ୟଣ କରେ। ତେବେ ସେହି ଭୋଜନକାରୀ ଆପଣା ଲୋକମାନଙ୍କଠାରୁ ପୃଥକ ରହିବା ଉଚିତ୍।

26 “ତୁମ୍ଭେମାନେ ଯେଉଁଠାରେ ବାସ କରନା କାହିଁକି ତୁମ୍ଭେମାନେ କୌଣସି ପଶୁ କିମ୍ବା ପକ୍ଷୀର ରକ୍ତ ଭୋଜନ କରିବ ନାହିଁ। 27 ଯଦି କୌଣସି ବ୍ୟକ୍ତି ସେ ରକ୍ତ ଭୋଜନ କରେ ତେବେ ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।”

ଦୋଳନୀୟ ନୈବେଦ୍ୟ ପାଇଁ ବିଧି

28 ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, 29 “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଯେକେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ସେ ଆପଣା ସମାଗମ ବଳିରୁ ସଦାପ୍ରଭୁଙ୍କ ନିକଟକୁ ଆପଣା ନୈବେଦ୍ୟ ଆଣିବ। 30 ତା’ର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୋଳନୀୟ ନୈବେଦ୍ୟ ଆଣିବ। ସେ ବକ୍ଷ ଏବଂ ମେଦ ଆଣି ଯାଜକକୁ ଦେବା ଉଚିତ୍। ସେହି ବକ୍ଷ ତା’ର ଆଗରେ ଉଠାଯାଇ ସଦାପ୍ରଭୁଙ୍କୁ ଉପହାର ଦିଆଯିବ। 31 ତା’ପରେ ଯାଜକ ଯଜ୍ଞବେଦି ଉପରେ ସେହି ମେଦକୁ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍। ମାତ୍ର ବକ୍ଷ ହାରୋଣ ଓ ତା’ର ପୁତ୍ରମାନଙ୍କର ହେବ। 32 ତୁମ୍ଭେମାନେ ନିଜ ନିଜ ମଙ୍ଗଳାର୍ଥକ ବଳିରୁ ଡାହାଣ ଚଟୁଆ ଯାଜକକୁ ଦେବ। 33 ହାରୋଣଙ୍କ ପୁତ୍ରମାନଙ୍କ ମଧ୍ୟରୁ ଯେକେହି ମେଦ ଓ ରକ୍ତ ମଙ୍ଗଳାର୍ଥକ ବଳି କରେ, ସେ ଆପଣା ଅଂଶ ରୂପେ ଡାହାଣ ଚଟୁଆ ପାଇବ। 34 ମୁଁ (ସଦାପ୍ରଭୁ) ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ନୈବେଦ୍ୟରୁ ବକ୍ଷ ଓ ଚଟୁଆ ନେଇ ଚିରକାଳ ଦେୟ ରୂପେ ସେସବୁ ଯାଜକ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦେଇଅଛି।”

35 ସେମାନେ ସଦାପ୍ରଭୁଙ୍କର ଯାଜକରୂପେ ସେବା କରିବାକୁ ଉପସ୍ଥିତ ହେଲା ପରେ, ସଦାପ୍ରଭୁଙ୍କ ଉପହାରରୁ ଏହି ଅଂଶ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଆଗଲା। 36 ସେମାନେ ଅଭିଷିକ୍ତ ହେଲା ପରେ ସଦାପ୍ରଭୁ ଏହା ସେମାନଙ୍କୁ ଦେବା ପାଇଁ ଇସ୍ରାଏଲ ଲୋକମାନଙ୍କୁ ଆଦେଶ ଦେଲେ। ପୁରୁଷାନୁକ୍ରମରେ ତାହା ସେମାନଙ୍କର ଅଂଶ ହେବ।

37 ହୋମବଳି, ଶସ୍ୟ ନୈବେଦ୍ୟ, ପାପାର୍ଥକ ବଳି, ଦୋଷାର୍ଥକ ବଳି, ମଙ୍ଗଳାର୍ଥକ ବଳି ଓ ପଦନିଯୋଗାର୍ଥକ ବିଷୟରେ ଏହିସବୁ ବ୍ୟବସ୍ଥା ଅଛି। 38 ସଦାପ୍ରଭୁ ଯେଉଁ ଦିନ ସୀନୟ ପର୍ବତରେ ମୋଶାଙ୍କୁ ଆଦେଶ ଦେଲେ ସେହି ଦିନ ଇସ୍ରାଏଲ ସନ୍ତାନଗଣଙ୍କୁ ସୀନୟ ପ୍ରାନ୍ତରସ୍ଥିତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ଆପଣା ଉପହାର ଦେବାକୁ ଆଜ୍ଞା କଲେ।