Add parallel Print Page Options

ଆହସ ଯିହୁଦାର ରାଜା ହୁଅନ୍ତି

16 ଇସ୍ରାଏଲରେ ରମଲିୟଙ୍କର ପୁତ୍ର ପେକହଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଯୋଥମଙ୍କ ପୁତ୍ର ଆହସ ଯିହୁଦାରେ ରାଜା ହେଲେ। ଆହାସଙ୍କୁ ଯେତେବେଳେ କୋଡ଼ିଏ ବର୍ଷ ହୋଇଥିଲା ସେ ରାଜା ହେଲେ ଓ ଯିରୁଶାଲମରେ ଷୋହଳ ବର୍ଷ ରାଜ୍ୟ କଲେ। ସେ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ପରି ନ ଥିଲେ। ସେ କୁକର୍ମମାନ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉଚିତ୍ ନ ଥିଲା। ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପରି ବସବାସ କଲେ। ଜଘନ୍ୟ ପାପ ପ୍ରଥା ଅନୁସାରେ ସେ ତାଙ୍କର ପୁତ୍ରକୁ ଅଗ୍ନିରେ ବଳିଦାନ କଲେ। ଯାହା ଜାତିମାନଙ୍କ ଦ୍ୱାରା ଅନୁକରଣ ହୋଇଥିଲା, ତେଣୁ ସଦାପ୍ରଭୁ ଭୂମିରୁ ସେମାନଙ୍କୁ ଜୋର୍ କରି ତଡ଼ି ଦେଲେ, ଯେତେବେଳେ ଇସ୍ରାଏଲମାନେ ଆସିଲେ। ପୁଣି ସେ ଉଚ୍ଚସ୍ଥଳୀରେ, ପର୍ବତ ଉପରେ ଓ ପ୍ରତ୍ୟେକ ହରି‌ତ୍‌ବର୍ଣ୍ଣ ବୃକ୍ଷତଳେ ବଳିଦାନ କଲେ ଓ ଧୂପ ଜଳାଇଲେ।

ସେତେବେଳେ ଅରାମର ରାଜା ର‌ତ୍‌ସୀନ୍ ଓ ଇସ୍ରାଏଲର ରାଜା ରମଲିୟଙ୍କ ପୁତ୍ର ପେକହ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ସେମାନେ ଆହସଙ୍କୁ ଚତୁର୍ଦ୍ଦିଗରେ ଘେରିଗଲେ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲେ ନାହିଁ। ସେ ସମୟରେ ଅରାମର ରାଜା ର‌ତ୍‌ସୀନ୍ ଏଲତ୍ ନଗରକୁ ପୁନର୍ବାର ଅରାମର ଅଧୀନ କରାଇ ଯିହୁଦୀମାନଙ୍କୁ ଏଲ‌ତ୍‌ରୁ ତଡ଼ି ଦେଲେ। ସେଠାରେ ଅରାମୀୟମାନେ ଆସି ଅଦ୍ୟାବଧି ବାସ କରୁଛନ୍ତି।

ଅଶୂରର ରାଜା ଆହସ୍ ତିଗ୍ଲତ-ପିଲେଷର ନିକଟକୁ ଦୂତ ପଠାଇ କହିଲେ, “ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ୟ। ଦୟାକରି ଏଠାକୁ ଆସ ଓ ମୋତେ ଅରାମର ରାଜା ଓ ଇସ୍ରାଏଲର ରାଜାଙ୍କ ଆକ୍ରମଣରୁ ରକ୍ଷା କର।” ଆଉ ମଧ୍ୟ ଆହସ୍ ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରରେ ଥିବା ସୁବର୍ଣ୍ଣ ଓ ରୌପ୍ୟ ନେଲେ ଓ ଅଶୂରର ରାଜା ନିକଟକୁ ଉପହାର ସ୍ୱରୂପ ପଠାଇଲେ। ଏଥିରେ ଅଶୂରର ରାଜା ଆହାସଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଓ ସେ ଆକ୍ରମଣ କଲେ। ଦମ୍ମେଶକ ଅଧିକାର କଲେ ଓ ସେଠିକାର ଲୋକମାନଙ୍କୁ ବନ୍ଦୀ କରି କୀର ନଗରକୁ ନେଇଗଲେ। ଆଉ ସେ ର‌ତ୍‌ସୀ‌ନଙ୍କୁ ବଧ କଲେ।

10 ରାଜା ଆହାସ୍ ଅଶୂରର ରାଜା ତିଗ୍ଲତ-ପିଲେଷରଙ୍କୁ ଭେଟିବାକୁ ଦମ୍ମେଶକ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ। ତା’ପରେ ଆହାସର ରାଜା ସେହି ଯଜ୍ଞବେଦିରେ ସକଳ ଶିଳ୍ପକଳା ଅନୁସାରେ ସେହିପ୍ରକାର ଆକୃତି ଉରିୟ ଯାଜକ ନିକଟକୁ ପଠାଇଲେ। 11 ତା’ପରେ ଯାଜକ ଉରିୟ ରାଜା ଆହାସ ଦମ୍ମେଶକରୁ ପଠାଇଥିବା ଯଜ୍ଞବେଦିର ନମୁନା ଅନୁସାରେ ଏକ ଯଜ୍ଞବେଦି ନିର୍ମାଣ କଲେ। ଆହସ୍ ଆସିବା ପୂର୍ବରୁ ଯାଜକ ସମସ୍ତ କର୍ମ କଲା।

12 ରାଜା ଆହାସ୍ ଯେତେବେଳେ ଦମ୍ମେଶକରୁ ଆସିଲେ। ସେ ଯଜ୍ଞବେଦି ଦେଖିଲେ ଓ ଯଜ୍ଞବେଦି ନିକଟକୁ ଯାଇ ତା’ ଉପରେ ବଳିଦାନ କଲେ। 13 ପୁଣି ସେ ସେହି ଯଜ୍ଞବେଦି ଉପରେ ଆପଣା ହୋମବଳି ଭକ୍ଷ୍ୟ ନୈବେଦ୍ୟ ଦ‌ଗ୍‌ଧ କରି, ଆପଣା ପେୟନୈବେଦ୍ୟ ଢାଳି ଓ ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ଯଜ୍ଞବେଦି ଉପରେ ଛିଞ୍ଚିଲେ।

14 ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ଯଜ୍ଞବେଦି ଆଣିଲେ, ଯେଉଁଟାକି ଆହା‌‌ସ୍‌‌ଙ୍କ ଯଜ୍ଞବେଦି ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ୟସ୍ଥଳରେ ଥିଲା। ଏହା ତାଙ୍କର ଯଜ୍ଞବେଦିର ଉତ୍ତର ପାର୍ଶ୍ୱରେ ରଖିଲେ। 15 ରାଜା ଆହସ୍ ଉରିୟ ଯାଜକଙ୍କୁ ଆଦେଶ ଦେଲେ, “ପ୍ରଭାତ କାଳୀନ ହୋମବଳି, ସନ୍ଧ୍ୟାକାଳୀନ ଭକ୍ଷ୍ୟନୈବେଦ୍ୟ, ରାଜାଙ୍କର ହୋମବଳି ଓ ତାଙ୍କର ଭକ୍ଷ୍ୟ ନୈବେଦ୍ୟ, ଲୋକଙ୍କ ହୋମବଳି, ସେମାନଙ୍କର ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବଡ଼ ଯଜ୍ଞବେଦି ଉପରେ ତୁମ୍ଭେ ଦ‌ଗ୍‌ଧ କରିବା ଉଚିତ୍ ଓ ତହିଁ ଉପରେ ହୋମବଳିର ସବୁ ରକ୍ତ ଓ ଅନ୍ୟ ନୈବେଦ୍ୟ ବୃହତ୍ ଯଜ୍ଞବେଦି ଉପରେ ଛିଞ୍ଚ। କିନ୍ତୁ ମୁଁ ପରମେଶ୍ୱରଙ୍କଠାରୁ ଉତ୍ତର ପାଇବାକୁ ପିତ୍ତଳ ଯଜ୍ଞବେଦି ବ୍ୟବହାର କରିବି” [a] 16 ଯାଜକ ଉରିୟ ରାଜା ଆହାସଙ୍କ ଆଜ୍ଞାନୁସାରେ ସମସ୍ତ କାର୍ଯ୍ୟ କଲେ।

17 ପୁଣି ଆହାସ୍ ରାଜା ବୈଠିକିଗୁଡ଼ିକ କାଟି ପ୍ରକ୍ଷାଳନ ପାତ୍ର ଓ କବାଟ ଫଳକ ଅଲଗା କଲେ। ଆଉ ବଡ଼ ଟ୍ୟାଙ୍କ୍ ତଳେ ଯେଉଁ ପିତ୍ତଳ ନିର୍ମିତ ଷଣ୍ଢ ଥିଲା, ସେସବୁର ଉପରୁ ତାକୁ ନେଇ ଏକ ପ୍ରସ୍ତର ଚଟାଣ ଉପରେ ରଖିଲେ। 18 ଆଉ ବିଶ୍ରାମ ସଭା ନିମନ୍ତେ ମନ୍ଦିର ମଧ୍ୟରେ ଯେଉଁ ଆବୃତ ପଥ ଓ ରାଜାଙ୍କର ପ୍ରବେଶାର୍ଥେ ବର୍ହିଦ୍ୱାର କରିଥିଲେ ତାହା ସେ ଅଶୂରର ରାଜାଙ୍କ ଲାଗି ସଦାପ୍ରଭୁଙ୍କ ମନ୍ଦିରରୁ ନେଇଗଲେ।

19 ଏହିପରି ଆହାସଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 20 ଆହାସଙ୍କର ମୃତ୍ୟୁ ହେଲା ଓ ସେ ନିଜ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ହିଜକିୟ ଶାସନ କଲେ।

Footnotes

  1. ରାଜାବଳୀର ଦ୍ୱିତୀୟ ପୁସ୍ତକ 16:15 କିନ୍ତୁ … କରିବି କିମ୍ବା “କିନ୍ତୁ ମୁଁ ସମୟ ସମୟରେ ପିତ୍ତଳର ବେଦିକୁ ବ୍ୟବହାର କରିବି।” ସମ୍ଭବତଃ ସେ ଏହାକୁ ତାଙ୍କର ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ବ୍ୟବହାର କରିବାକୁ ଗ୍ଭହିଁଲେ।