Add parallel Print Page Options

ସଦାପ୍ରଭୁ ତାଙ୍କର ସନ୍ତାନଙ୍କୁ ବିବେଚନା କରନ୍ତି

63 ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ
    ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ?
ନିଜ ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ
    ଓ ନିଜ ମହାଶକ୍ତିରେ ଯିଏ ବିଜେ କରୁଛନ୍ତି, ସେ କିଏ?
ସଦାପ୍ରଭୁ କୁହନ୍ତି, “ଆମ୍ଭେ ଧର୍ମବାଦୀ
    ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।”

“ଆପଣଙ୍କର ପରିଧେୟ ବସ୍ତ୍ର ରକ୍ତବର୍ଣ୍ଣ
    ଓ କୁଣ୍ଡରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ରପରି କାହିଁକି?”

ସେ ଉତ୍ତର କରନ୍ତି, “ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ
    ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲେ।
ଆମ୍ଭେ ନିଜର କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ନିଜର କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ।
    ଏଣୁ ସେମାନଙ୍କର ପ୍ରାଣ ରକ୍ତର ଛିଟାରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସେହି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।
କାରଣ ପ୍ରତିଶୋଧର ଦିନ ଆମ୍ଭ ହୃଦୟରେ ଥିଲା
    ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହୋଇଅଛି।
ଆମ୍ଭେ ଅନାଇଲୁ, ମାତ୍ର ସାହାଯ୍ୟକାରୀ କେହି ନ ଥିଲେ।
    ସହାୟକ ନ ଥିବାରୁ ଆମ୍ଭେ ଆଶ୍ଚର୍ଯ୍ୟ ହେଲୁ।
ଏଣୁ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା
    ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।
ପୁଣି ଆମ୍ଭେ ନିଜର କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ
    ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ; ପୁଣି ଭୂମିରେ ସେମାନଙ୍କର ପ୍ରାଣର ରକ୍ତ ଢାଳି ଦେଲୁ।”

ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କ ପ୍ରତି ସଦୟ ହୋଇଛନ୍ତି

ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା
    ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେ ସବୁ ଉପକାର କରିଅଛନ୍ତି,
ପୁଣି ନିଜର ନାନାବିଧ ଦୟା
    ଓ ଅପାର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
ଇସ୍ରାଏଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି,
    ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବା।
ସଦାପ୍ରଭୁ କହିଲେ, “ନିଶ୍ଚୟ ସେମାନେ ଆମ୍ଭର ଲୋକ,
    ଯେଉଁମାନେ ଅସତ୍ୟ ବ୍ୟବହାର କରିବେ ନାହିଁ, ସେମାନେ ଆମ୍ଭର ସନ୍ତାନ।”
    ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ।
ସେ ସେମାନଙ୍କର ସବୁ ଦୁଃଖରେ ଦୁଃଖିତ ହେଲେ।
    ତାହାଙ୍କର ଉପସ୍ଥିତି ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ।
ସେ ସେମାନଙ୍କୁ ନିଜ ପ୍ରେମ ଓ ଦୟାରୁ ମୁକ୍ତ କଲେ
    ଏବଂ ସେମାନେ ଅତି ପୁରୁଣା ସମୟ ଦେଇ ବହନ କଲେ।
10 ମାତ୍ର ସେମାନେ ସଦାପ୍ରଭୁଙ୍କ ବିପକ୍ଷରେ ବିଦ୍ରୋହ କଲେ
    ଓ ତାଙ୍କର ପବିତ୍ରଆତ୍ମାକୁ ଦୁଃଖିତ କଲେ।
ତେଣୁ ସେ ସେମାନଙ୍କର ଶତ୍ରୁ ହୋଇଗଲେ
    ଓ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ।

11 ସେତେବେଳେ ସେ ପ୍ରାଚୀନ କାଳ ଓ ମୋଶା
    ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ,
ସେ ନିଜର ମେଷପାଳକମାନଙ୍କୁ
    ସମୁଦ୍ର ପାର କରାଇ ଆଣିଲେ
ଓ ସେ ଯିଏ କି ସେମାନଙ୍କ ମଧ୍ୟରେ
    ନିଜର ପବିତ୍ରଆତ୍ମାକୁ ସ୍ଥାପନ କଲେ, ସେ କାହାନ୍ତି?
12 ଯେ ନିଜର ଅ‌‌ଦ୍‌‌ଭୂତ ଶକ୍ତି ବଳରେ ନିଜର ଦକ୍ଷିଣ ହସ୍ତ ସାହାଯ୍ୟରେ
    ମୋଶାଙ୍କୁ ପରିଗ୍ଭଳିତ କଲେ
ଓ ନିଜ ପାଇଁ ଅନନ୍ତକାଳସ୍ଥାୟୀ ନାମ ସ୍ଥାପନ ଉଦ୍ଦେଶ୍ୟରେ
    ସେମାନଙ୍କ ସମ୍ମୁଖରେ ଜଳକୁ ଦୁଇଭାଗ କଲେ, ସେ କାହାନ୍ତି?
13 ଯେ ସମୁଦ୍ର ମଧ୍ୟରେ ବାଟ କଢ଼ାଇ ନେଲେ
    ଓ ଅଶ୍ୱତୁଲ୍ୟ ଗମନ କରାଇଲେ
    ମରୁଭୂମିରେ ଯିଏ କି ଝୁଣ୍ଟିଲେ ନାହିଁ, ସେ କାହାନ୍ତି?
14 ଯେପରି ପଶୁପଲ ଉପତ୍ୟକାକୁ ଓହ୍ଲାଇ ଯାଆନ୍ତି
    ସେହିପରି ସଦାପ୍ରଭୁଙ୍କ ଆତ୍ମା ସେମାନଙ୍କୁ ବିଶ୍ରାମ କରାଇଲେ।
ଏହିପରି ତୁମ୍ଭେ ନିଜ ନାମକୁ ଗୌରବାନ୍ୱିତ କରିବାକୁ
    ନିଜ ଲୋକମାନଙ୍କୁ ଗ୍ଭଳିତ କର।

ତାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରାର୍ଥନା

15 ବର୍ତ୍ତମାନ ସ୍ୱର୍ଗ ଉପରୁ ଦେଖ,
    ତୁମ୍ଭ ପବିତ୍ରତା ଓ ତୁମ୍ଭ ପରାକ୍ରମର ବସତି ସ୍ଥାନରୁ ଦେଖ,
ତୁମ୍ଭର ଶାଶ୍ୱତ ପ୍ରେମ କାହିଁ?
    ତୁମ୍ଭର କୋହ ଓ ଦୟା କାହିଁ?
16 ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ,
    ଓ ଇସ୍ରାଏଲର ଯାଜକ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ,
    ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା
ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଯେ,
    ଆମ୍ଭକୁ ରକ୍ଷା କରିଛ।
17 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ କାହିଁକି ତୁମ୍ଭ ପଥରୁ ବିଭ୍ରାନ୍ତ କରୁଅଛି
    ଓ ତୁମ୍ଭକୁ ଭୟ କରିବାକୁ ଆମ୍ଭର ଅନ୍ତଃକରଣକୁ କଠିନ କରୁଅଛ?
ନିଜର ଦାସମାନଙ୍କ ପାଇଁ ଓ ନିଜର ଅଧିକାର ସ୍ୱରୂପ
    ଗୋଷ୍ଠୀଗଣଙ୍କ ପାଇଁ ଫେରି ଆସ।
18 ତୁମ୍ଭର ପବିତ୍ର ଲୋକମାନେ ଅଳ୍ପକାଳ ପାଇଁ ତୁମ୍ଭର ମନ୍ଦିରକୁ ଅଧିକାର କଲେ;
    ମାତ୍ର ଆମ୍ଭମାନଙ୍କର ବିପକ୍ଷଦଳ ତୁମ୍ଭର ସେହି ପବିତ୍ର ମନ୍ଦିରକୁ ପଦଦଳିତ କଲେ।
19 ଯେଉଁମାନଙ୍କୁ ତୁମ୍ଭେ କେବେ ଶାସନ କରି ନାହଁ
    ଓ ଯେଉଁମାନେ ତୁମ୍ଭ ନାମରେ
କେବେ ଖ୍ୟାତ ହୋଇ ନ ଥିଲେ,
    ଦୀର୍ଘକାଳ ସେହି ଲୋକମାନଙ୍କ ପରି ଆମ୍ଭେ ହୋଇଅଛୁ।