Add parallel Print Page Options

ସଦାପ୍ରଭୁ କହନ୍ତି, “ସେ ସମୟରେ ଲୋକମାନେ ଯିହୁଦାର ରାଜାଗଣଙ୍କର, ତା’ର ଅଧିପତିମାନଙ୍କର, ଯାଜକଗଣଙ୍କର, ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଓ ଯିରୁଶାଲମ ନିବାସୀଗଣର ଅସ୍ଥିସବୁ ସେମାନଙ୍କ କବରରୁ ବାହାର କରିବେ। ଆଉ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶ ପୃଥିବୀରୁ ଯେଉଁ ନକ୍ଷତ୍ରଗଣଙ୍କୁ ସେମାନେ ଭଲ ପାଇ ଅଛନ୍ତି, ଯେଉଁମାନଙ୍କର ସେବା କରିଅଛନ୍ତି, ଯେଉଁମାନଙ୍କର ପଶ୍ଚା‌‌ଦ୍‌‌ଗାମୀ ହୋଇ ଅଛନ୍ତି, ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହା ସବୁ ଛିନ୍ନଭିନ୍ନ କରି ପକାଇବେ। ଆଉ ସେ ଅସ୍ଥିସବୁ ଏକତ୍ରିତ ହୋଇ କବରରେ ପୋତା ହେବ ନାହିଁ। ସେସବୁ ଭୂମିରେ ପଡ଼ି ଖତ ତୁଲ୍ୟ ହେବ।

ପୁଣି ସଦାପ୍ରଭୁ କହନ୍ତି, “ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦେଇଅଛୁ, ସେସବୁ ସ୍ଥାନରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ବଞ୍ଚିବା ଅପେକ୍ଷା ବରଂ ମରିବାକୁ ପସନ୍ଦ କରିବେ।”

ପାପ ଓ ଶାସ୍ତି

“ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁଙ୍କର ଏହି ବାକ୍ୟ କୁହ,

“‘ମନୁଷ୍ୟ ପଡ଼ିଲେ
    କ’ଣ ଆଉ ଉଠେ ନାହିଁ?
ବିପଥରେ ଗଲେ
    କ’ଣ ଆଉ ଫେରେ ନାହିଁ?
ଯିହୁଦା ଓ ଯିରୁଶାଲମର ଲୋକମାନେ
    କାହିଁକି ଚିରକାଳ ବିପଥଗାମୀ ହୋଇଅଛନ୍ତି?
ସେମାନେ ମିଥ୍ୟା ଓ ପ୍ରବଞ୍ଚନାରେ ବିଶ୍ୱାସ ରଖନ୍ତି
    ଓ ସେମାନେ ଫେରିବାକୁ ଅସମ୍ମତ।
ଆମ୍ଭେ ସେମାନଙ୍କ କଥା ମନୋଯୋଗ ସହକାରେ ଶୁଣିଲେ ମଧ୍ୟ
    ସେମାନେ ନ୍ୟାୟକଥା କହିଲେ ନାହିଁ।
ସେମାନେ ସେମାନଙ୍କର ପାପଲାଗି
    ଅନୁତପ୍ତ ନୁହନ୍ତି।
ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ପୃଷ୍ଠରେ ଧାବମାନ ହୁଏ
    ସେମାନେ ସେହିପରି ଆପଣା ଆପଣା ପଥରେ ଦୌଡ଼ନ୍ତି।
ଏପରିକି ଆକାଶର ପକ୍ଷୀଗଣ
    ନିଜ ନିଜ ନିରୂପିତ ସମୟ ଜାଣନ୍ତି।
ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ
    ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି।
ମାତ୍ର ଆମ୍ଭର ଲୋକମାନେ
    ସଦାପ୍ରଭୁଙ୍କର ନିୟମ ଜାଣନ୍ତି ନାହିଁ।

“‘ତୁମ୍ଭେମାନେ କହୁଛ ଯେ, “ଆମ୍ଭେମାନେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ୟବସ୍ଥା ଆମ୍ଭମାନଙ୍କଠାରେ ଅଛି।”
    ମାତ୍ର ଏହା ସତ୍ୟ ନୁହେଁ।
    କାରଣ ଅଧ୍ୟାପକଗଣଙ୍କ ମିଥ୍ୟା ଲେଖନୀ ମିଥ୍ୟା ଲେଖିଅଛି।
ସେହି “ଜ୍ଞାନୀ ଲୋକମାନେ” ଲଜ୍ଜିତ ହେବେ,
    ସେମାନେ ଦ୍ୱନ୍ଦରେ ପଡ଼ିବେ ଓ ଫାନ୍ଦରେ ପଡ଼ିବା ପରି ଅନୁଭବ କରିବେ।
ଦେଖ, ସେମାନେ ସଦାପ୍ରଭୁଙ୍କ ଶିକ୍ଷାକୁ ପ୍ରତ୍ୟାଖାନ କଲେ।
    ସେମାନଙ୍କୁ କିପରି “ଜ୍ଞାନୀ” ବୋଲି ବିବେଚନା କରାଯିବ?
10 ତେଣୁ ଆମ୍ଭେ ସେମାନଙ୍କର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦେବା
    ଓ ସେମାନଙ୍କର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦେବା।
କାରଣ ଇସ୍ରାଏଲ କ୍ଷୁଦ୍ରଠାରୁ ମହାନ ଲୋକ ପର୍ଯ୍ୟନ୍ତ ସମସ୍ତେ ଲୋଭାସକ୍ତ
    ଆଉ ଭବିଷ୍ୟ‌ଦ୍‌ବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ଯ୍ୟନ୍ତ
    ସମସ୍ତେ ମିଥ୍ୟାଚରଣ କରନ୍ତି।
11 ଯଦିଓ ମୋର ଲୋକମାନେ ଗୁରୁତର ଭାବରେ ଆଘାତପ୍ରାପ୍ତ ହୋଇଛନ୍ତି।
    ଏଠାରେ “ଶାନ୍ତି” ଅଛି, ବୋଲି କହି ସେମାନେ ସହଜରେ
ସେମାନଙ୍କୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି।
    ସେତେବେଳେ ସେଠାରେ କୌଣସି ‘ଶାନ୍ତି’ ନ ଥାଏ।
12 ସେମାନେ ଘୃଣ୍ୟକର୍ମ କରିସୁଦ୍ଧା ଲଜ୍ଜିତ ହେଲେ ନାହିଁ,
    ସେମାନଙ୍କର ମୁଖମଣ୍ଡଳ ଏହି ମନ୍ଦକର୍ମ ଯୋଗୁଁ ବିବର୍ଣ୍ଣ ହେଲା ନାହିଁ।
ଏଣୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ
    ପତିତ ହେବେ।
ସେମାନଙ୍କ ପ୍ରତିଫଳ ପ୍ରାପ୍ତି ସମୟରେ ସେମାନେ ନିପାତିତ ହେବେ।’”
    ସଦାପ୍ରଭୁ ଏହିସବୁ କହନ୍ତି।

13 “‘ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କର ସମସ୍ତ ଶସ୍ୟ ଓ ଫଳ ନେଇଯିବା
    ଓ ସେମାନଙ୍କୁ ନିରିହ ରୂପେ ସଂହାର କରିବା।
ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ ଓ ଡିମ୍ବିରି ବୃକ୍ଷରେ ଡିମ୍ବିରି ଫଳ ରହିବ ନାହିଁ।
    ପତ୍ରସବୁ ମ୍ଳାନ ହୋଇଯିବେ।
ଆମ୍ଭେ ସେମାନଙ୍କୁ ଯାହାସବୁ ଦେଇଅଛୁ, ସେସବୁ ସେମାନଙ୍କଠାରୁ ନେଇଯିବୁ।’”

14 “ଆମ୍ଭେମାନେ କାହିଁକି ଶାନ୍ତଭାବେ ବସିଅଛୁ?
    ଆସ, ଏକତ୍ରିତ ହୋଇ ଆମ୍ଭେମାନେ ଏକ ପ୍ରାଚୀର ବେଷ୍ଟିତ ନଗରକୁ ଗ୍ଭଲିଯିବା।
ଆସ ସେହି ସ୍ଥାନରେ ଆମ୍ଭେ ମୃତ୍ୟୁବରଣ କରିବା।
    ଯେହେତୁ ସଦାପ୍ରଭୁ ଆମ୍ଭର ପରମେଶ୍ୱର ଆମ୍ଭମାନଙ୍କୁ ନୀରବ କରିଛନ୍ତି।
ଆସ ବିଷାକ୍ତ ପାଣି ପିଇବା,
    ଯେହେତୁ ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛୁ।
15 ଆମ୍ଭେମାନେ ଶାନ୍ତି ଆଶା କଲୁ,
    ମାତ୍ର କିଛି ମଙ୍ଗଳ ହେଲା ନାହିଁ।
ସେ ଆମ୍ଭମାନଙ୍କୁ କ୍ଷମା ଦେବେ ବୋଲି ଇଚ୍ଛା କଲୁ,
    ମାତ୍ର କେବଳ ବିପଦ ମାଡ଼ି ଆସିଲା।
16 ଦାନ୍ ନଗରଠାରୁ
    ତାହାର ଅଶ୍ୱଗଣର ନାସିକା ଧ୍ୱନି ଶୁଣା ଯାଉଅଛି।
    ତାହାର କନିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ
ସମୁଦାୟ ଦେଶ କମ୍ପିତ ହେଉଅଛି।
    କାରଣ ସେମାନେ ଆସିଛନ୍ତି,
ଆଉ ଦେଶ ଓ ତନ୍ମଧ୍ୟସ୍ଥିତ ସକଳ ନଗର
    ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।”

17 “ହେ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ ଓ କାଳସର୍ପମାନଙ୍କୁ ପଠାଇବା,
    ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ।
ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ।”
    ଏହା ସଦାପ୍ରଭୁ କହନ୍ତି।

18 ହେ ପରମେଶ୍ୱର ମୋର ହୃଦୟ ଦୁଃଖରେ ଅଭିଭୂତ, ମୁଁ ଅତ୍ୟନ୍ତ ଭୟଭୀତ ଓ ମୂର୍ଚ୍ଛିତ।
19 ମୋର ଲୋକମାନଙ୍କର ଅତି ଦୂର ଦେଶରୁ ଆସୁଥିବା
    ଆର୍ତ୍ତଚିତ୍କାର ଶୁଣ।
ସେମାନେ କହନ୍ତି, “ସଦାପ୍ରଭୁ କ’ଣ ସିୟୋନରେ ନାହାନ୍ତି?
    ତହିଁର ରାଜା କ’ଣ ତହିଁ ମଧ୍ୟରେ ନାହାନ୍ତି?”

ମାତ୍ର ପରମେଶ୍ୱର କହନ୍ତି,
“ସେମାନେ ନିଜର ଖୋଦିତ ପ୍ରତିମା
    ଓ ବିଦେଶୀୟ ଅସାର ବସ୍ତ୍ର ସମୂହଦ୍ୱାରା
    ଆମ୍ଭକୁ ବିରକ୍ତ ଓ କ୍ରୋଧିତ କରିଛନ୍ତି।”
20 “ଶସ୍ୟ ସଂଗ୍ରହର ସମୟ ଶେଷ ହେଲା।
    ଗ୍ରୀଷ୍ମକାଳ ଅତିବାହିତ ହେଲା।
ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହେଲା ନାହିଁ।”

21 ମୋର ହୃଦୟ ଭାଙ୍ଗି ଯାଇଛି କାରଣ ମୋର ଲୋକମାନଙ୍କର ହୃଦୟ ଭାଙ୍ଗି ଯାଇଛି।
    ମୁଁ ମଳିନ, ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି।
22 ଗିଲିୟଦରେ ଔଷଧ ଅଛି
    ଓ ସେଠାରେ ବୈଦ୍ୟମାନେ ମଧ୍ୟ ଅଛନ୍ତି।
    ତେବେ ମୋର ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାନ୍ତି?