Add parallel Print Page Options

ପରମେଶ୍ୱରଙ୍କ ପ୍ରତିଜ୍ଞା

33 ଆହୁରି ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦୀ ଥିଲା ବେଳେ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାଙ୍କ ନିକଟରେ ଉପସ୍ଥିତ ହେଲା। “ଯିଏ ଏହି ପୃଥିବୀର ସୃଷ୍ଟିକର୍ତ୍ତା ଏବଂ ସେ ଏହାକୁ ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଛନ୍ତି। ସଦାପ୍ରଭୁ ତାଙ୍କର ନାମ। ସେହି ସଦାପ୍ରଭୁ ଏହା କହନ୍ତି। ‘ହେ ଯିହୁଦା, ତୁମ୍ଭେ ଆମ୍ଭକୁ ପ୍ରାର୍ଥନା କର ଏବଂ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା। ଆମ୍ଭେ ତୁମ୍ଭକୁ ଗୁପ୍ତ ଓ ମହତ୍ ବିଷୟ ଶୁଣାଇବା, ଯାହା ତୁମ୍ଭେ ଜାଣି ନାହଁ।’ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଯିରୁଶାଲମ ବିଷୟରେ ଏହି କଥା କହନ୍ତି। ‘ଶତ୍ରୁସୈନ୍ୟ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସେମାନେ ପ୍ରାଚୀର ଉପରେ ଶିଡ଼ି ନିର୍ମାଣ କରି ‌‌ଖ‌ଡ଼୍‌ଗରେ ନଗର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ।

“‘ଯିରୁଶାଲମର ଲୋକମାନେ ବହୁ ଦୁଷ୍କର୍ମ କରିଅଛନ୍ତି। ଆମ୍ଭେ ସେମାନଙ୍କୁ ପ୍ରଚଣ୍ଡ କୋପରେ ବିନାଶ କରିଅଛୁ ପୁଣି କ‌‌ଲ୍‌‌ଦୀୟମାନେ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିବେ। ଆମ୍ଭର କ୍ରୋଧ ଯୋଗୁଁ ସେମାନଙ୍କ ଗୃହ ଶବରେ ପରିପୂର୍ଣ୍ଣ ହେବ।

“‘ମାତ୍ର ଆମ୍ଭେ ସେମାନଙ୍କୁ କ୍ଷମା କରି ଆରୋଗ୍ୟ କରିବା। ସେମାନେ ଚିରନ୍ତନ ଐଶ୍ୱର୍ଯ୍ୟ ଓ ଶାନ୍ତି ଆନନ୍ଦ ଉଲ୍ଲାସ କରିବେ। ଆମ୍ଭେ ଇସ୍ରାଏଲ ଓ ଯିହୁଦାର ଲୋକମାନଙ୍କର ବନ୍ଦୀତ୍ୱ ଅବସ୍ଥାର ପରିବର୍ତ୍ତନ କରି ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା। ସେମାନଙ୍କୁ ଅତୀତ ପରି ଶକ୍ତିଶାଳୀ କରିବା। ସେମାନେ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କରି ଯେଉଁ ପାପ କରିଅଛନ୍ତି ଆମ୍ଭେ ସେମାନଙ୍କୁ ସେଥିରୁ ଶୁଚି କରିବା। ପୁଣି ସେମାନେ ଆମ୍ଭର ଆଜ୍ଞା ଲଙ୍ଘନ କରି ଯେଉଁ ଅଧର୍ମ ଓ ପାପ କରିଅଛନ୍ତି, ଆମ୍ଭେ ସେଥିରୁ ସେମାନଙ୍କୁ କ୍ଷମା କରିବା। ତା’ପରେ ଯିରୁଶାଲମ ପୃଥିବୀସ୍ଥ ଦେଶମାନଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ସ୍ଥାନ ହେବ। ଲୋକମାନେ ଏପରି ସୁଖରେ ରହିବେ ଯେ ଅନ୍ୟ ଗୋଷ୍ଠୀଗଣ ତା’ର ପ୍ରଶଂସା ଓ ଗୌରବ ଗାନ କରିବେ। ଆମ୍ଭେ ତାହା ପାଇଁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତାହା ସେମାନେ ଶ୍ରବଣ କରିବେ। ଅନ୍ୟ ଲୋକେ ଭୀତ ଓ ଆଶ୍ଚର୍ଯ୍ୟ ହେବେ।’

10 “ତୁମ୍ଭେମାନେ କହୁଅଛ, ‘ଏହି ସ୍ଥାନ ନରଶୂନ୍ୟ ଓ ପଶୁଶୂନ୍ୟ ହୋଇ ଏକ ଧ୍ୱଂସିତ ନଗର ହେବ।’ ମାତ୍ର ଏହି ସ୍ଥାନ ଖୁବ୍ ଶୀଘ୍ର କୋଳାହଳପୂର୍ଣ୍ଣ ହେବ। 11 ସଦାପ୍ରଭୁ କହନ୍ତି, ଏଠାରେ ତୁମ୍ଭେମାନେ ଆନନ୍ଦ ଧ୍ୱନି ଓ ହର୍ଷନାଦ, ବର କନ୍ୟାଙ୍କର ହର୍ଷଧ୍ୱନି, ସଦାପ୍ରଭୁଙ୍କର ପ୍ରଶଂସା ଗାନର କୋଳାହଳ ପାଇବ। ସେମାନେ କହିବେ, ‘ସଦାପ୍ରଭୁ ମଙ୍ଗଳମୟ ଓ ତାଙ୍କର କରୁଣା ସଦାକାଳ ସ୍ଥାୟୀ।’ ତେଣୁ ତାଙ୍କର ଧନ୍ୟବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦସ୍ୱରୂପ ବଳି ଆଣିବାର ଶବ୍ଦ ଶୁଣାଯିବ। ଏହା ହେବ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସେପରି ହୋଇଯିବ।”

12 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଏହି ଜନଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସ ସ୍ଥାନରେ ଓ ତହିଁର ସକଳ ନଗରରେ ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ। ସେମାନେ ସେ ସ୍ଥାନରେ ଆପଣା ଆପଣା ମେଷପଲକୁ ବିଶ୍ରାମ କରାଇବେ। 13 ସଦାପ୍ରଭୁ କହନ୍ତି, ପାର୍ବତୀୟ ଦେଶର ନଗର ସମୂହରେ, ନିମ୍ନଭୂମିର ନଗରମାନଙ୍କରେ, ଦକ୍ଷିଣଦିଗସ୍ଥ ସକଳ ନଗରରେ, ବିନ୍ୟାମୀନ ଦେଶରେ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନଙ୍କରେ ଲୋକମାନେ ସେମାନଙ୍କର ମେଷପଲକୁ ଗଣନା କରିବେ।”

ଉତ୍ତମ ଶାଖା

14 ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ। ତାହାକୁ ସଫଳ କରିବାର ସମୟ ଆସୁଅଛି। 15 ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମସ୍ୱରୂପ ଏକ ‘ଶାଖା’ ଉତ୍ପନ୍ନ କରାଇବା। ସେହି ‘ଶାଖା’ ସେ ଦେଶରେ ନ୍ୟାୟ ଓ ଧାର୍ମିକତା ବିଗ୍ଭର ପ୍ରତିଷ୍ଠା କରିବେ। 16 ସେହି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ଯିରୁଶାଲମ ନିରାପଦରେ ବାସ କରିବ। ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ପରିଗ୍ଭଳକ ହେବେ, ସଦାପ୍ରଭୁ ଆମ୍ଭର ନ୍ୟାୟବାନ।’”

17 ଆଉ ସଦାପ୍ରଭୁ କହନ୍ତି, “ଦାଉଦ ବଂଶରୁ ଜଣେ ସର୍ବଦା ଇସ୍ରାଏଲୀୟ ବଂଶର ସିଂହାସନରେ ଉପବିଷ୍ଟ ହେବ। 18 ପୁଣି ଆମ୍ଭ ସମ୍ମୁଖରେ ହୋମବଳି ଶସ୍ୟ ନୈବେଦ୍ୟ ଦାହ ଓ ନିତ୍ୟ ବଳିଦାନ କରିବା ପାଇଁ ଲେବୀୟ ବଂଶରୁ ଜଣେ ଯାଜକ ସର୍ବଦା ରହିବ।”

19 ଅନନ୍ତର ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 20 ସଦାପ୍ରଭୁ କହନ୍ତି, “ଯଦି କେହି ଦିନରାତି ସହିତ ନିୟମ ଭଙ୍ଗ କରେ, ସେ ନିୟମିତ ଭାବରେ ଦେଖା ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ। 21 ମାତ୍ର ସେତେବେଳେ ଆମ୍ଭର ସେବକ ଦାଉଦ ସହିତ ନିୟମ ଭଙ୍ଗ କରାଯିବ। ତା’ର ବଂଶଧର ମଧ୍ୟରୁ ଜଣେ ସର୍ବଦା ଯିରୁଶାଲମରେ ଶାସନ କରିବ ଏବଂ ଏହି ଲେବୀୟ ଚିରଦିନ ମୋର ଯାଜକ ରୂପେ ସେବା କରିବ। 22 ଯେପରି ଆକାଶର ତାରା ଗଣା ଯାଇପାରିବ ନାହିଁ କି ସମୁଦ୍ରର ବାଲୁକା ମପା ଯାଇପାରିବ ନାହିଁ, ସେହିପରି ଆମ୍ଭେ ଦାଉଦ ବଂଶଧରକୁ ଓ ଲେବୀୟ ପରିବାରବର୍ଗକୁ ଏତେ ସଂଖ୍ୟାରେ ଦାସ ଓ ପରିଗ୍ଭରକ ପଠାଇବା ସେଗୁଡ଼ିକ ମଧ୍ୟ ଆକଳନ ହେବେ।”

23 ଅନନ୍ତର ଯିରିମିୟ ସଦାପ୍ରଭୁଙ୍କର ବାକ୍ୟ ପ୍ରାପ୍ତ ହେଲେ। 24 “ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କେବେ ତାହା ବିବେଚନା କରିଛ? ସେମାନେ କହନ୍ତି, ‘ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି। ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।” ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ରହିବେ ନାହିଁ।’”

25 ସଦାପ୍ରଭୁ କହନ୍ତି, “ଯଦି ଦିବାରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ସ୍ଥିର ନ ରହେ ଓ ଆମ୍ଭେ ଯେବେ ଆକାଶର ଓ ପୃଥିବୀର ବିଧି ସକଳ ନିରୂପଣ କରି ନ ଥାଉ, ତାହାହେଲେ ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିବା। 26 ତାହାହେଲେ ଆମ୍ଭେ ଯାକୁବର ବଂଶଧର ଏବଂ ଆମ୍ଭର ସେବକ ଦାଉଦର ବଂଶଧରଗଣଙ୍କୁ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବର ବଂଶଧରଗଣ ଉପରେ ଶାସକରୂପେ ମନୋନୀତ କରିବାକୁ ପ୍ରତ୍ୟାଖାନ କରିବା କି? ଏହା ହେବ ନାହିଁ, କାରଣ ଆମ୍ଭେ ସେମାନଙ୍କର ପୂର୍ବ ଅବସ୍ଥା ସ୍ଥାପନ କରିବା ଓ ସେମାନଙ୍କ ଉପରେ କୃପା କରିବା।”