Add parallel Print Page Options

ଦାଉଦଙ୍କର ସଙ୍ଗୀତ।

24 ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ।
    ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି
    ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।

କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ?
    କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ?
ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି,
    ଯାହାଙ୍କର ହୃଦୟ ଓ ମନ ନିର୍ମଳ,
ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହଁନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ,
    କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ।

ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି।
    ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି।
ସେହି ଉତ୍ତମ ବ୍ୟକ୍ତିମାନେ ସର୍ବଦା ପରମେଶ୍ୱରଙ୍କ ପନ୍ଥା ଅନ୍ୱେଷଣ କରନ୍ତି।
    ସେମାନେ ଯାକୁବର ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି।

ହେ ନଗର ଫାଟକ ତୁମ୍ଭର ମସ୍ତକ ଟେକ।
    ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
କିଏ ସେହି ଗୌରବମୟ ରାଜା?
    ସଦାପ୍ରଭୁ ହିଁ ସେହି ରାଜା ଅଟନ୍ତି, ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା।
    ସଦାପ୍ରଭୁ ହେଉଛନ୍ତି ସେହି ରାଜା ଯିଏ ଜଣେ ଯୁଦ୍ଧଜୟୀ ବୀର ଅଟନ୍ତି।

ହେ ଫାଟକ ସବୁ ଖୋଲି ଯାଅ।
    ହେ ପ୍ରାଚୀନ ଦ୍ୱାର ସବୁ ଖୋଲି ଦିଅ ଏବଂ ଗୌରବମୟ ରାଜା ପ୍ରବେଶ କରିବେ।
10 କିଏ ସେହି ଗୌରବମୟ ରାଜା?
    ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି।