Add parallel Print Page Options

147 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
    କାରଣ ଆମ୍ଭର ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ଉତ୍ତମ!
    ପରମେଶ୍ୱରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମାନୋହର ଅଟେ।
ସଦାପ୍ରଭୁ ହେଉଛନ୍ତି ଜଣେ ଯିଏ ଯିରୁଶାଲମକୁ ପୁନଃନିର୍ମାଣ କରନ୍ତି।
    ସେ ହିଁ ଜଣେ ଇସ୍ରାଏଲର ନିର୍ବାସିତମାନଙ୍କୁ ଏକତ୍ରିତ କରନ୍ତି।
ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି
    ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି।
ସେ ତାରାଗଣଙ୍କୁ ଗଣନା କରନ୍ତି।
    ସେ ପ୍ରତ୍ୟେକଙ୍କର ଗୋଟି ଗୋଟି କରି ନାମ ଧରି ଡାକନ୍ତି।
ଆମ୍ଭର ପ୍ରଭୁ ଅତି ମହାନ ଏବଂ ଶକ୍ତିମାନ।
    ତାଙ୍କର ବୁଝାମଣା ଅସୀମ।
ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥା’ନ୍ତି।
    ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।
ସଦାପ୍ରଭୁଙ୍କୁ ଗୀତରେ ଧନ୍ୟବାଦ ଦିଅ।
    ବୀଣାଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସା କର।
ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି।
    ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି।
    ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
ପରମେଶ୍ୱର ପଶୁମାନଙ୍କୁ ଆହାର ଦିଅନ୍ତି।
    ସେ ପକ୍ଷୀ ଶାବକମାନଙ୍କୁ ମଧ୍ୟ ଆହାର ଦିଅନ୍ତି, ଯାହା ପାଇଁ ସେମାନେ ଚିତ୍କାର କରନ୍ତି।
10 ଯୁଦ୍ଧ ଅଶ୍ୱର ଓ ପରାକ୍ରମୀ ସୈନ୍ୟ
    ତାଙ୍କୁ ଖୁସୀ କରି ପାରନ୍ତି ନାହିଁ।
11 ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ୱସ୍ତ ପ୍ରେମରେ ଭରସା ରଖନ୍ତି,
    ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି।
12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
    ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
    ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
    ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
    ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
    ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
    ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।

19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
    ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
    ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।

ସଦାପ୍ରଭୁଙ୍କର ପ୍ରଶଂସା କର।