Add parallel Print Page Options

“ଆୟୁବ, ତୁମ୍ଭେ ତାଙ୍କୁ ଡାକ, ଯଦି ତୁମ୍ଭେ ଗ୍ଭହୁଁଛ, କିନ୍ତୁ କେହି ତୁମ୍ଭକୁ ଉତ୍ତର ଦେବାକୁ ଏଠାରେ ନାହିଁ।
    ତୁମ୍ଭେ ସ୍ୱର୍ଗଦୂତମାନଙ୍କୁ ବଦଳାଇ ପାରିବ ନାହିଁ।
ଜଣେ ନିର୍ବୋଧଲୋକର ରାଗ ହିଁ ତାକୁ ହତ୍ୟା କରେ
    ଓ କ୍ରୋଧ ନିରୀହ ଲୋକକୁ ବଧ କରେ।
ମୁଁ ଜଣେ ଏପରି ନିର୍ବୋଧଲୋକକୁ ଦେଖିଛି ଯିଏ ଭାବୁଥିଲା ଯେ ସେ ସୁରକ୍ଷିତ,
    କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା।
ତା’ର ସନ୍ତାନମାନଙ୍କୁ ସାହାଯ୍ୟ କରିବାକୁ କେହି ନ ଥିଲେ।
    ସେମାନଙ୍କୁ ଦରବାରରେ କେହି ପକ୍ଷସମର୍ଥନ କଲେ ନାହିଁ।
କ୍ଷୁଧାର୍ତ୍ତ ଲୋକେ ସେମାନଙ୍କର ଶସ୍ୟସବୁ ଖାଇଦେଇଛନ୍ତି।
    ସେହି କ୍ଷୁଧାର୍ତ୍ତ ଲୋକେ ମଧ୍ୟ କଣ୍ଟା ମଧ୍ୟରୁ ଶସ୍ୟକଣାକୁ ନେଇଯାଇଛନ୍ତି।
    ଲୋଭୀ ଲୋକ ସେମାନଙ୍କର ସବୁକିଛି ଲୁଟି ନେଇଛନ୍ତି।
ଦୁଃସମୟ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ,
    କଷ୍ଟ ଭୂମିରୁ ଉତ୍ପନ୍ନ ହୁଏ ନାହିଁ।
କିନ୍ତୁ ମଣିଷ ଜନ୍ମ ହୋଇଛି କଷ୍ଟ ସହିବା ଲାଗି,
    ଯେପରି ନିଶ୍ଚୟ ଅଗ୍ନିକଣିକା ଅଗ୍ନିରୁ ଉପରକୁ ଉଡ଼ିବୁଲେ।
କିନ୍ତୁ ଆୟୁବ ମୁଁ ଯଦି ତୁମ୍ଭ ଜାଗାରେ ଥା’ନ୍ତି
    ନିଶ୍ଚୟ ପରମେଶ୍ୱରଙ୍କୁ ଡାକି ନିଜର ସମସ୍ତ ଦୁଃଖ ତାଙ୍କୁ ଜଣାନ୍ତି।
ଲୋକେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟକର୍ମକୁ ବୁଝିପାରନ୍ତି ନାହିଁ,
    କି ତାଙ୍କର ଅଲୌକିକ କାର୍ଯ୍ୟର ମଧ୍ୟ ଅନ୍ତ ନାହିଁ।
10 ପରମେଶ୍ୱର ପୃଥିବୀରେ ବର୍ଷା କରାନ୍ତି
    ଓ ଶସ୍ୟକ୍ଷେତ୍ରକୁ ଜଳ ପ୍ରଦାନ କରନ୍ତି।
11 ପରମେଶ୍ୱର ନମ୍ର ଲୋକକୁ ଉପରକୁ ଉଠାନ୍ତି
    ଏବଂ ଯେଉଁମାନେ ଅତି ଦୁଃଖୀ ସେମାନଙ୍କୁ ଖୁସୀ କରାନ୍ତି।
12 ପରମେଶ୍ୱର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ୟର୍ଥ କରନ୍ତି
    ଏବଂ ସେମାନଙ୍କୁ ସଫଳତା ଦିଅନ୍ତି ନାହିଁ।
13 ପରମେଶ୍ୱର ଚତୁର ଲୋକମାନଙ୍କୁ ମଧ୍ୟ ତାଙ୍କ ଫାନ୍ଦରେ ଧରନ୍ତି,
    ସେମାନଙ୍କର ଚତୁର ଯୋଜନା ସଫଳ କରାନ୍ତି ନାହିଁ।
14 ସେହି ଚତୁର ଲୋକମାନେ ଦିନ ବେଳେ ଝୁଣ୍ଟି ପଡ଼ନ୍ତି, ଯେପରି କି ତାହା ଅନ୍ଧକାର,
    ମଧ୍ୟାହ୍ନରେ ମଧ୍ୟ ସେମାନେ ଏପରି ଲୋକପରି ରାସ୍ତା ଅଣ୍ଡାଳି ହୁଅନ୍ତି, ଯେପରି କି ତାହା ମଧ୍ୟରାତ୍ରି।
15 ପରମେଶ୍ୱର ଗରିବ ଲୋକମାନଙ୍କୁ ସେହି ଚତୁର ଲୋକଙ୍କର କଟୁବାକ୍ୟରୁ ରକ୍ଷା କରନ୍ତି।
    ସେ ଗରିବ ଲୋକଙ୍କୁ ପରାକ୍ରମୀ ଲୋକ କବଳରୁ ଉଦ୍ଧାର କରନ୍ତି।
16 ସେଥିପାଇଁ ଗରିବ ଲୋକଙ୍କ ପାଇଁ ଭରସା ଅଛି
    ଓ ଅନ୍ୟାୟକାରୀ ନିଶ୍ଚୟ ନୀରବ ରହିବ।

17 ଯେଉଁ ମନୁଷ୍ୟକୁ ପରମେଶ୍ୱର ସଂଶୋଧନ କରନ୍ତି, ସେ ଭାଗ୍ୟବାନ୍।
    ତେଣୁ ସେହି ସର୍ବଶକ୍ତିମାନ ପରମେଶ୍ୱର ଯେତେବେଳେ ତୁମ୍ଭକୁ ଦଣ୍ଡ ଦିଅନ୍ତି, ତାଙ୍କ ବିରୁଦ୍ଧରେ ଅଭିଯୋଗ କର ନାହିଁ।
18 ପରମେଶ୍ୱରଙ୍କ ଦଣ୍ଡରେ ଯେଉଁ କ୍ଷତ ହୁଏ ପୁଣି ସେ ନିଜେ ସେମାନଙ୍କର କ୍ଷତରେ ପଟି ବାନ୍ଧନ୍ତି।
    ପରମେଶ୍ୱର ହୁଏତ ଜଣକୁ ଆଘାତ କରନ୍ତି, କିନ୍ତୁ ତାଙ୍କ ହାତ ସୁସ୍ଥତା ମଧ୍ୟ ଆଣେ।
19 ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରି ପାରିବେ।
    ହଁ, ଦରକାର ପଡ଼ିଲେ ବିନା ଆଘାତରେ ସାତୋଟି ଦୁର୍ବିପାକରୁ ରକ୍ଷା କରି ପାରିବେ।
20 ଦୁର୍ଭିକ୍ଷ ସମୟରେ ପରମେଶ୍ୱର
    ତୁମ୍ଭକୁ ମୃତ୍ୟୁ ମୁଖରୁ ରକ୍ଷା କରି ପାରିବେ।
ଯୁଦ୍ଧ ସମୟରେ ତୁମ୍ଭକୁ
    ‌‌ଖ‌ଡ଼୍‌ଗ ମୁଖରୁ ବଞ୍ଚାଇ ପାରିବେ।
21 ପରମେଶ୍ୱର ତୁମ୍ଭକୁ ଲୋକଙ୍କ ଜିହ୍ୱାର ଅନିଷ୍ଟକର ବାକ୍ୟରୁ ଉଦ୍ଧାର କରି ପାରିବେ।
    ପରମେଶ୍ୱର ତୁମ୍ଭକୁ ରକ୍ଷା କରିବେ,
    ତେଣୁ ଯେତେବେଳେ ବିପଦ ଆସୁଛି, ତୁମ୍ଭେ ଭୟଭୀତ ହୁଅ ନାହିଁ।
22 ବିନାଶ ଓ ଦୁର୍ଭିକ୍ଷ ପ୍ରତି ତୁମ୍ଭେ ହସିପାର।
    ତୁମ୍ଭେ ବଣୁଆ ହିଂସ୍ର ଜନ୍ତୁକୁ ଭୟ କର ନାହିଁ।
23 ତୁମ୍ଭର ପରମେଶ୍ୱରଙ୍କ ସହିତ ଚୁକ୍ତି ହୋଇଛି।
    ତେଣୁ କ୍ଷେତର ପଥର ଏପରିକି ବଣର ହିଂସ୍ର ଜନ୍ତୁ ମଧ୍ୟ ତୁମ୍ଭ ସହିତ ଶାନ୍ତିରେ ରହିବେ।
24 ତୁମ୍ଭେ ଶାନ୍ତିରେ ରହିପାରିବ କାରଣ ତୁମ୍ଭର ତମ୍ବୁ ସୁରକ୍ଷିତ ଅଛି।
    ତୁମ୍ଭେ ତୁମ୍ଭର ସମ୍ପତ୍ତିକୁ ଗଣି ପାରିବ ଏବଂ ଦେଖିବ କିଛି ହଜିଯାଇ ନାହିଁ।
25 ତୁମ୍ଭର ଅନେକ ସନ୍ତାନସନ୍ତତି ହେବେ,
    ଏତେ ଅଧିକ ଯେପରି କି ପୃଥିବୀ ଉପରେ ଘାସର ଝାଡ଼ ପରି।
26 ତୁମ୍ଭେ ଗହମ କ୍ଷେତ୍ରରେ ଗହମ ସଦୃଶ ଯିଏ ଅମଳ ସମୟ ପର୍ଯ୍ୟନ୍ତ ବୃଦ୍ଧି ପାଇବ।
    ହଁ ତୁମ୍ଭେ ଅତ୍ୟଧିକ ବୃଦ୍ଧି ହେଲା ପର୍ଯ୍ୟନ୍ତ ବଞ୍ଚି ରହିବ।

27 ଆୟୁବ, ଦେଖ ଆମ୍ଭେମାନେ ଏସବୁ ଜିନିଷ ଅନୁସନ୍ଧାନ କରି ସେମାନଙ୍କୁ ଜାଣିଛୁ ଏବଂ ଏସବୁ ସତ୍ୟ ବୋଲି ମଧ୍ୟ ଜାଣିଛୁ।
    ତେଣୁ ଆମ୍ଭ କଥା ଶୁଣ ଏବଂ ସେଗୁଡ଼ିକ ଆପଣା ମଙ୍ଗଳ ନିମନ୍ତେ ଶିକ୍ଷା କର।”